Unknown

 

 

 

 

 

 

 

 

 

 

 

ଆମ ସମାଜ

ବଳରାମ ମିଶ୍ର

 

ଉପକ୍ରମ

ବଳରାମ ମିଶ୍ରଙ୍କ ଦ୍ୱାରା ରଚିତ ନାଟକ ‘ଆମ ସମାଜ’ ପାଠକକୁ ଏପରି ଏକ ଯାତ୍ରାରେ ନେଇଯାଏ, ଯେଉଁଠାରେ ପ୍ରେମ, ସଂସ୍କାର, ଜାତିପ୍ରଥା ଏବଂ ମାନବିକତା ମଧ୍ୟରେ ନିରନ୍ତର ସଂଘର୍ଷ ଚାଲିଥାଏ । କଟକର ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍ ଦ୍ୱାରା ବହୁବାର ମଞ୍ଚସ୍ଥ ହୋଇଥିବା ଏହି ନାଟକଟି ପାରମ୍ପରିକ ବିଶ୍ୱାସ ଏବଂ ଆଧୁନିକ ଚିନ୍ତାଧାରା ମଧ୍ୟରେ ଥିବା ଦୂରତାକୁ ନିଖୁଣ ଭାବେ ଦର୍ଶାଇଛି । ଜଣେ ମଣିଷର ପରିଚୟ ତା’ର ଜନ୍ମିତ ଜାତି କି କର୍ମ କି ମାନବିକତା- କେଉଁଟି ଉପରେ ପର୍ଯ୍ୟବସିତ ବୋଲି ନାଟକର କାହାଣୀ ପ୍ରଶ୍ନ କରିଥାଏ ।

ପୃଷ୍ଠଭୂମି

ନାଟକର ପୃଷ୍ଠଭୂମି ବିଂଶ ଶତାବ୍ଦୀର ଓଡ଼ିଶାର ଏକ ରକ୍ଷଣଶୀଳ ସାମାଜିକ ପରିବେଶ ଉପରେ ଆଧାରିତ । କାହାଣୀଟି ମୁଖ୍ୟତଃ ଦୁଇଟି ଭିନ୍ନ ପରିବେଶ ମଧ୍ୟରେ ଗତିଶୀଳ ହୁଏ—ଏକ ପଟେ ସହରୀ ପରିବେଶ (କଟକ) ଏବଂ ଅନ୍ୟପଟେ ପାରମ୍ପରିକ ଗୋଟିଏ ବ୍ରାହ୍ମଣ ଶାସନ ଗାଁ ।

ସହରୀ ପରିବେଶର ପ୍ରତିନିଧିତ୍ୱ କରୁଛି ଥାନା ଅଫିସର ହମିଦଙ୍କ ଘର । ହମିଦଙ୍କ ଘରର ସାଜସଜ୍ଜା ହିଁ ସେହି ସମୟର ଏକ ପ୍ରଗତିଶୀଳ ଚିନ୍ତାଧାରାର ସୂଚନା ଦିଏ । ତାଙ୍କ ଘରର କାନ୍ଥରେ ବୁଦ୍ଧ, ଯୀଶୁ, ଗାନ୍ଧୀ ଏବଂ ମକ୍କା-ମଦିନାର ଚିତ୍ରପଟ ଏକତ୍ର ଶୋଭା ପାଉଛି, ଯାହା ସର୍ବଧର୍ମ ସମନ୍ୱୟର ଏକ ବଡ଼ ସଙ୍କେତ । ଏହି ପରିବେଶରେ ଧର୍ମ ଅପେକ୍ଷା ବନ୍ଧୁତ୍ୱ ଓ କର୍ତ୍ତବ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଏ । ଧୀର ଓ କ୍ଷମା ଯେତେବେଳେ ସମାଜର ଭୟରେ ଗାଁ ଛାଡ଼ି ଆସନ୍ତି, ସେତେବେଳେ ହମିଦଙ୍କ ପରି ଜଣେ ମୁସଲମାନ ବନ୍ଧୁ ହିଁ ସେମାନଙ୍କୁ ଆଶ୍ରୟ ଦିଅନ୍ତି । ଏହି ସହରୀ ପୃଷ୍ଠଭୂମିଟି ଦର୍ଶାଏ ଯେ ଶିକ୍ଷା ଓ ପ୍ରଶାସନିକ କର୍ତ୍ତବ୍ୟ ମଣିଷକୁ ଜାତିଗତ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱକୁ ନେଇଯାଇପାରେ । ଅନ୍ୟପଟେ, ଗାଁର ପରିବେଶ ଅତି ରକ୍ଷଣଶୀଳ ଓ ପାରମ୍ପରିକ । ବ୍ରାହ୍ମଣ ଶାସନ ଗାଁରେ ସମାଜପତି ଓ ମୁରବୀମାନଙ୍କ ଶାସନ ଚାଲେ । ଏଠାରେ ଧର୍ମର ଶାସ୍ତି ଆଇନର ଶାସ୍ତି ଅପେକ୍ଷା ଅଧିକ ଭୟଙ୍କର ବୋଲି ବିଶ୍ୱାସ କରାଯାଏ । ପର୍ଶୁରାମଙ୍କ ପରି ବ୍ୟକ୍ତିମାନେ ନିଜ ଝିଅର ସୁଖ ଅପେକ୍ଷା ସମାଜର ନିନ୍ଦାକୁ ଅଧିକ ଭୟ କରନ୍ତି । ଗାଁର ଏହି ପରିବେଶରେ ଅନ୍ଧବିଶ୍ୱାସ ଓ ସଂକୀର୍ଣ୍ଣତା ଖୁବ୍‍ ଗଭୀର ।

ଏହି ଦୁଇ ପରିବେଶ ମଧ୍ୟରେ ଥିବା ସଂଘର୍ଷ ହିଁ ନାଟକର ମୂଳ ଆଧାର । ସହରରେ ଜନ୍ମ ନେଉଥିବା ଆଧୁନିକତା ଏବଂ ଗାଁରେ ରହିଥିବା ରକ୍ଷଣଶୀଳତା ମଧ୍ୟରେ ରୁନ୍ଧି ହୋଇଯାଉଥିବା ଚରିତ୍ରମାନଙ୍କ ମାଧ୍ୟମରେ ନାଟ୍ୟକାର ତତ୍କାଳୀନ ସାମାଜିକ ବାସ୍ତବତାକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସମାଜର ଏହି କଠୋର ନିୟମ ଯୋଗୁଁ କେତେବେଳେ କାନ୍ତାଙ୍କୁ ନିର୍ଯାତନା ସହିବାକୁ ପଡ଼େ ତ କେତେବେଳେ ଧୀରଙ୍କୁ ନିଜ ବୋଉ ପାଖରୁ ଦୂରେଇ ଯିବାକୁ ପଡ଼େ । ଏହି ପରିପ୍ରେକ୍ଷୀରେ ଜଣେ ପାଠକ ଜାଣିପାରେ ଯେ ‘ସମାଜ’ ନାମକ ଅଦୃଶ୍ୟ ଶୃଙ୍ଖଳ ମଣିଷର ବ୍ୟକ୍ତିଗତ ସ୍ୱାଧୀନତା ଓ ସୁଖକୁ ବଳି ଦେଇଥାଏ ।

ପ୍ରମୁଖ ପାତ୍ରମାନେ

ଧୀର: ଏହି ନାଟକର ନାୟକ । ସେ ଜଣେ ଶିକ୍ଷିତ ଏବଂ ଉଦାରବାଦୀ ଯୁବକରେ । ସେ ଜାତି ଓ ଧର୍ମର ସଂକୀର୍ଣ୍ଣତାକୁ ବିଶ୍ୱାସ କରନ୍ତି ନାହିଁ । ସେ କ୍ଷମାଙ୍କୁ ଭଲପାଇ ବିବାହ କରନ୍ତି ଏବଂ ସମାଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି ।

 

କ୍ଷମା: ଧୀରଙ୍କ ପ୍ରେମିକା ଓ ପରବର୍ତ୍ତୀ ସମୟରେ ପତ୍ନୀ । ସେ ଜଣେ ଅନାଥ ଝିଅ, ଯାହାଙ୍କୁ ଏକ ବ୍ରାହ୍ମଣ ପରିବାର ପାଳିଥିଲେ, କିନ୍ତୁ ତାଙ୍କର ପ୍ରକୃତ ଜାତି ଅଜ୍ଞାତ ଥିବାରୁ ସେ ସାମାଜିକ ଅବହେଳାର ଶିକାର ହୁଅନ୍ତି ।

 

ହମିଦ: ଜଣେ ମୁସଲମାନ ପୋଲିସ ଅଫିସର ଏବଂ ଧୀରଙ୍କ ପ୍ରିୟ ବନ୍ଧୁ । ସେ ମାନବିକତା ଓ କର୍ତ୍ତବ୍ୟର ପ୍ରତୀକ ।

 

ହାସିନା: ହମିଦଙ୍କ ସ୍ତ୍ରୀ । ସେ ଜଣେ ସ୍ନେହୀ ଓ ମମତାମୟୀ ମହିଳା । ସେ କ୍ଷମାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବାବୁଲାକୁ ନିଜ ପୁଅ ପରି ପାଳନ୍ତି ।

 

କାନ୍ତା: ବାଲ୍ୟ ବିବାହକ୍ରମେ ଧୀରଙ୍କର ପ୍ରଥମ ପତ୍ନୀ । ସେ ସହିଷ୍ଣୁ ଓ ପତିବ୍ରତା । ସେ ସବୁ ନିର୍ଯାତନା ସହି ମଧ୍ୟ ନିଜ ଧର୍ମ ଓ ସ୍ୱାମୀଙ୍କୁ ଭଲ ପାଆନ୍ତି ।

 

ଅନାଦି: ନାଟକର ଖଳନାୟକ । ସେ ନିଜ ସ୍ୱାର୍ଥ ପାଇଁ ସମାଜର ନିୟମକୁ ବ୍ୟବହାର କରି ପରିବାର ମଧ୍ୟରେ ବିଭ୍ରାଟ ସୃଷ୍ଟି କରେ ଏବଂ କାନ୍ତାଙ୍କ ସର୍ବନାଶ କରିବାକୁ ଚେଷ୍ଟା କରେ ।

 

ଧୀରବୋଉ: ଧୀରଙ୍କ ମା’ । ସେ ସମାଜର ଭୟରେ ନିଜ ପୁଅ ଓ ବୋହୂଙ୍କୁ ପର କରିଦିଅନ୍ତି, କିନ୍ତୁ ଶେଷରେ ନିଜ ଭୁଲ ବୁଝିପାରନ୍ତି ।

 

ପର୍ଶୁରାମ (ପରଶୁ) : କାନ୍ତାଙ୍କ ବାପା । ଜଣେ ଅସହାୟ ପିତା, ଯିଏ ସମାଜର ଚାପରେ ନିଜ ଝିଅକୁ ଅନ୍ୟତ୍ର ବାହା କରିବାକୁ ବାଧ୍ୟ ହୁଅନ୍ତି ।

 

ବିଷୟବସ୍ତୁ

 

କାହାଣୀଟି ଆରମ୍ଭ ହୁଏ ଧୀର ଏବଂ କ୍ଷମାଙ୍କର କଟକ ପଳାଇ ଆସିବା ଘଟଣାରୁ । ଧୀର ବାଲ୍ୟକାଳରୁ କାନ୍ତାଙ୍କ ସହିତ ବିବାହ କରିଥିଲେ ମଧ୍ୟ, ସେ ଜଣେ ଶିକ୍ଷିତ ଯୁବକ ଭାବେ ସେହି ବାଧ୍ୟବାଧକତାର ବିବାହକୁ ସ୍ୱୀକାର କରନ୍ତି ନାହିଁ । ସେ ଅନାଥ ଝିଅ କ୍ଷମାଙ୍କୁ ଭଲ ପାଆନ୍ତି ଏବଂ ତାଙ୍କୁ ଉଦ୍ଧାର କରି ନିଜର ପ୍ରିୟବନ୍ଧୁ ହମିଦଙ୍କ ଘରେ ଆଶ୍ରୟ ନିଅନ୍ତି । ହମିଦ ଏବଂ ତାଙ୍କ ହାସିନା ସେମାନଙ୍କୁ ନିଜ ପରିବାରର ସଦସ୍ୟ ଭଳି ଗ୍ରହଣ କରନ୍ତି । ତେବେ ଧୀରଙ୍କ ନାମରେ ‘ଯୁବତୀ ହରଣ’ ଅଭିଯୋଗରେ ୱାରେଣ୍ଟ ଜାରି ହୁଏ, ଯାହା ହମିଦଙ୍କ ପାଇଁ ଏକ କଠିନ ପରୀକ୍ଷା ପାଲଟେ-

 

ଅନ୍ୟପଟେ ଗାଁରେ, ଖଳନାୟକ ଅନାଦି ନିଜର ଚକ୍ରାନ୍ତ ଜାରି ରଖେ । ବାଲ୍ୟବିବାହ ଅନୁସାରେ ଧୀର ପତ୍ନୀ ଭାବରେ କାନ୍ତାଙ୍କୁ ସ୍ୱୀକାର ନ କରିବାରୁ, ଅନାଦି ତାଙ୍କୁ ଅନ୍ୟତ୍ର ବିବାହ କରାଇଦେବାକୁ କାନ୍ତାର ବାପା ପର୍ଶୁରାମଙ୍କୁ ବୁଝାଏ । କିନ୍ତୁ କାନ୍ତା ଜଣେ ପତିବ୍ରତା ନାରୀ ଭାବେ ଏହାକୁ ପ୍ରତ୍ୟାଖ୍ୟାନ କରନ୍ତି ଏବଂ ନିଜ ଶାଶୁଘରକୁ ଚାଲିଆସନ୍ତି । ସେଠାରେ ଅନାଦି ଧୀରର ବୋଉଙ୍କୁ କାନ୍ତାଙ୍କ ଚରିତ୍ର ବିଷୟରେ ମିଛ କହି ମାନସିକ ଯନ୍ତ୍ରଣା ଦିଏ ।

 

ଅନ୍ୟ ପକ୍ଷରେ ସହରରେ କ୍ଷମା ଗର୍ଭବତୀ ହୁଅନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ପ୍ରସବ ସମୟରେ ତାଙ୍କର ମୃତ୍ୟୁ ଘଟେ । ତାଙ୍କର ପୁଅ ବାବୁଲାକୁ ହାସିନା ନିଜ କୋଳକୁ ନେଇଯାଆନ୍ତି । କ୍ଷମାଙ୍କ ମୃତ୍ୟୁ ଧୀରଙ୍କୁ ପାଗଳ ପ୍ରାୟ କରିଦିଏ । ସେ ନିଜ ଗାଁକୁ ଫେରିଲେ ମଧ୍ୟ ସେଠାରେ ତାଙ୍କୁ ଜାତିଚ୍ୟୁତ ବୋଲି କୁହାଯାଏ । ଅନାଦିର ଚକ୍ରାନ୍ତ ଯୋଗୁଁ ଧୀରବୋଉ କାନ୍ତାଙ୍କୁ ଘରୁ ବାହାର କରିଦିଅନ୍ତି ।

 

କାନ୍ତା ବାଧ୍ୟ ହୋଇ ସହରକୁ ଆସନ୍ତି ଏବଂ ପରିଚୟ ଲୁଚାଇ ‘ସର’ ନାମରେ ହାସିନାଙ୍କ ଘରେ କାମ କରନ୍ତି । ସେ ନିଜ ସ୍ୱାମୀ ଧୀରଙ୍କୁ ସେଠାରେ ଦେଖିଲେ ମଧ୍ୟ ନିଜ ପରିଚୟ ଦିଅନ୍ତି ନାହିଁ । ଏହି ସମୟରେ ବାବୁଲାକୁ କିଏ ମୁସଲମାନ କରିବ କି ହିନ୍ଦୁ ରଖିବ, ସେ ନେଇ ହମିଦଙ୍କ ଘରେ ପରିବାରିକ ବିବାଦ ସୃଷ୍ଟି ହୁଏ । ବାବୁଲାଙ୍କୁ ନିଜ ସାଙ୍ଗରେ ନେଇ କାନ୍ତା କିଛି ଦିନ ପାଇଁ କୁଆଡ଼େ ଚାଲିଯାଆନ୍ତି, ଏଥିରେ ହାସିନା ବ୍ୟସ୍ତ ହୋଇପଡ଼ନ୍ତି ।

 

ଶେଷରେ ସବୁ ସତ୍ୟ ପ୍ରକାଶ ପାଏ । ଅନାଦିର ପାପର କାରସାଦି ଭାଙ୍ଗି ଯାଏ । ଏବଂ ତାକୁ ପୋଲିସ ଗିରଫ କରେ । କାନ୍ତା ନିଜର ପ୍ରକୃତ ପରିଚୟ ଦିଅନ୍ତି । ଧୀର ମଧ୍ୟ ନିଜ ଭୁଲ ବୁଝିପାରନ୍ତି ଏବଂ ପୂରା ପରିବାର ପୁଣି ଏକାଠି ହୁଏ ।

 

ଉପସଂହାର

 

‘ଆମ ସମାଜ’ ନାଟକଟିର ଶେଷ ଭାଗ ପାଠକର ହୃଦୟକୁ ଗଭୀର ଭାବେ ସ୍ପର୍ଶ କରେ । ଏହା କେବଳ କାହାଣୀର ପରିସମାପ୍ତି ନୁହେଁ, ବରଂ ଏକ ନୂତନ ଚିନ୍ତାଧାରାର ଉନ୍ମେଷ । ନାଟକର ଶେଷ ଦୃଶ୍ୟରେ ହମିଦଙ୍କ ଘରେ ଯେତେବେଳେ ଧୀର, କାନ୍ତା, ଧୀରବୋଉ, ପର୍ଶୁରାମ ଏବଂ ରହିମ୍ ଚାଚା ଏକାଠି ହୁଅନ୍ତି, ସେତେବେଳେ ଜାତି ଓ ଧର୍ମର ପ୍ରାଚୀର ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼େ-

 

ରହିମ୍ ଚାଚା, ଯିଏ ଦିନେ ବାବୁଲାଙ୍କୁ ମୁସଲମାନ କରିବା ପାଇଁ ଜିଦ୍ ଧରିଥିଲେ, ସେ ନିଜେ ସମସ୍ତଙ୍କୁ ଏକାଠି ବସି ଭୋଜନ କରିବାକୁ ନିମନ୍ତ୍ରଣ କରନ୍ତି । ସେ ବୁଝିପାରନ୍ତି ଯେ "ମଣିଷର ମମତା ପାଖରେ ବଂଶର ଇଜ୍ଜତ କିଛି ନୁହେଁ" । ସେ କୁହନ୍ତି ଯେ ଦୁନିଆରେ ସବୁଠାରୁ ବଡ଼ କଥା ହେଉଛି ସ୍ନେହ, ପ୍ରେମ ଓ ମମତା । ଏହି ଚରିତ୍ରର ପରିବର୍ତ୍ତନ ହିଁ ନାଟକର ସବୁଠାରୁ ବଡ଼ ସଫଳତା ।

 

ଧୀରବୋଉ ମଧ୍ୟ ନିଜର ଭୁଲ ସ୍ୱୀକାର କରନ୍ତି । ସେ ବୁଝିପାରନ୍ତି ଯେ କାନ୍ତାଙ୍କ ଭଳି ପବିତ୍ର ଚରିତ୍ରର ନାରୀଙ୍କୁ ସନ୍ଦେହ କରି ସେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଥିଲେ । ଜାତି ଓ ଛୁଆଁଅଛୁଆଁର ଭୟ ଯେ କେତେ ଅସାର, ତାହା ତାଙ୍କର ଆଖିରୁ ଲୁହ ହୋଇ ବହିଯାଏ । କାନ୍ତା, ଯିଏ ନିଜକୁ ‘ସର’ ବା ଏକ ସାମାନ୍ୟ ଚାକରାଣୀ ଭାବେ ପରିଚିତ କରାଇଥିଲେ, ସେ ନିଜର ତ୍ୟାଗ ଓ ନିଷ୍ଠା ବଳରେ ପୁଣି ଥରେ ନିଜର ସମ୍ମାନ ଫେରି ପାଆନ୍ତି । ସେ ପ୍ରମାଣ କରନ୍ତି ଯେ ନାରୀଟିଏ ଚାହିଁଲେ ନିଜର ସହିଷ୍ଣୁତା ଦ୍ୱାରା ଏକ ଭାଙ୍ଗିଯାଉଥିବା ପରିବାରକୁ ପୁଣି ଗଢ଼ିପାରେ ।

 

ପ୍ରେମ ଓ ବିଶ୍ୱାସ ଦ୍ୱାରା ଯେ କୌଣସି ବାଧାବିଘ୍ନ ଅତିକ୍ରମ କରାଯାଇପାରେ । ଜାତି ଆଳରେ ଜଣେ ମଣିଷଙ୍କୁ ପର କରିବା ଅପେକ୍ଷା ବିପଦ ସମୟରେ ଜଣଙ୍କୁ ଆପଣାର କରିବା ଗୋଟିଏ ସଫଳ ସମାଜର ବିଶେଷତ୍ୱ । ପ୍ରକୃତ ପ୍ରୀତି ଦୁନିଆର ନୀତିକୁ ପ୍ରତ୍ୟାଖ୍ୟାନ କରେ । ରୋମାଞ୍ଚ ଓ ଆବେଗଭର୍ତ୍ତି ଏହି ନାଟକ ଜୀବନ ଜିଁବାର ଏକ ଚମତ୍କାର ଶିକ୍ଷା ପ୍ରଦାନ କରିଥାଏ ।

Image